ଜନତାର ସେବକ

ରାଜନୀତିର ଆଉ ଏକ ରୂପ।

ସକାଳ ୧୦ଟା ରୁ ଉଦୁଉଦିଆ ଖରାରେ ଛାୟା ବିହୀନ ଖାଲି ପଡ଼ିଆରେ ବସି ମୁଣ୍ଡ ଦେହ କୁ ପାର୍ଟିର ପତାକାରେ ଘୋଡେଇବାର ତୁଚ୍ଛା ପ୍ରୟାସ କରୁଥିବା ଗରିବ ମୂଲିଆ ଶ୍ରେଣୀର ଜନତା ହଠାତ୍ କରତାଳି ଦେଇ ସ୍ବାଗତ କରିପକାଇଲେ ନାଲିବତୀ ଆଉ ବତାନୁକୁଳିତ ଗାଡ଼ିରେ ଆସିଥିବା ଜନତାର ସେବକ ମାନଙ୍କୁ।
ନିଜ ଓଜନ ଠାରୁ ଅଧିକ ବଡ଼ ମାଲ୍ୟାର୍ପଣ ହେଲା ମନ୍ତ୍ରୀ ମାନଙ୍କୁ,ପୁଣି ଦେଲେ କିଏ ? ସେହି ପାର୍ଟିର କାର୍ଯ୍ୟକର୍ତ୍ତା ମାନେ।
ତା ପରେ ମଞ୍ଚାସୀନ ହେଲେ ଜନତାର ସେବକ ମାନେ
ପାଲଟଣା ମଞ୍ଚରେ ଅତିରିକ୍ତ ପଙ୍ଖାର ବ୍ୟବସ୍ଥା ମଧ୍ୟ ଥାଏ।
ଆଉ ଆଗରେ ରଖା ହୋଇଥିବା ମିନେରାଲ ପାଣି ବୋତଲ।

ଏକ ଦମ୍ ମଝିରେ କ୍ୟାମେରା ଟିଏ ଧରି ମୁଁ ଛିଡ଼ା ହୋଇଥିଲି। ଗଣମାଧ୍ୟମ ପ୍ରତିନିଧି ଆମର ମାଇକ୍ ଧରି ମୋ ଆଗରେ ଚାତକ ପରି ଚାହିଁଥିଲେ।
ମନ୍ତ୍ରୀ ଦିନ ଦିପହରେ ଦୀପ ଟିଏ ଜାଳି ସମ୍ଭାଷଣ ଆରମ୍ଭ କଲେ।
ବାପରେ କି ଠାଣି, ସତେ କି ସ୍ଵୟଂ ବିବେକାନ୍ଦଙ୍କ ବାଣୀ। ଦୁଇ ତିନି ଧାଡ଼ି ସରୁଛି କି ନାହିଁ ଜନତା ତାଳି ମାରିବାରେ ଲାଗୁଛି। ମୁଁ ବି ତ ଶୁଣୁଥିଲି ନା ଭାଷଣ ମତେ ତ ତାଳି ମାରିଲା ପରି କିଛି ବାକ୍ୟ ଶୁଭୁ ନଥିଲା। ବାରମ୍ବାର ଏମିତି ଶୁଣିଲା ପରେ କ୍ୟାମେରା ହଟେଇ ଦେଖିଲି କଣ୍ ଚାଲିଛି। ଯାହା ଦେଖିଲି ଆଖିକୁ ବିଶ୍ୱାସ ହେଲାନି, ଜନତାଙ୍କ ଆଗରେ ବସିଥିବା ବଛା ବଛା କିଛି କାର୍ଯ୍ୟକର୍ତ୍ତା କିଛି ସମୟ ପରେ ତାଳି ମାରି ପକାଉଛନ୍ତି ଏବଂ ଆମର ଜନତା ସବୁବେଳ ଭଳି ଆଖି କାନ ବୁଜି ତାଳି ମାରି ପକାଉଛି।
ମତେ ହସ ଲାଗିଲା ସମ୍ଭାଳି ନ ପାରି ଜୋର୍ କରି ହସିଦେଲି।
ମନ୍ତ୍ରୀଙ୍କୁ ବୋଧେ ଶୁଭିଗଲା, ଟିକେ ଅନ୍ୟମନସ୍କ ହୋଇ ମୋ ଆଡ଼କୁ ଅନେଇଲେ ଏବଂ କିଛି ନ କହି ପୁଣି ଲାଗି ପଡ଼ିଲେ କାମରେ।
ମୁଁ ଟିକେ ଡରି ଯାଇଥିଲି ହେଲେ କେହି କିଛି ଜାଣି ପାରିଲେ ନାହିଁ।
ପୁଣି ଯେମିତି ସେମିତି କାର୍ଯ୍ୟକ୍ରମ ଚାଲିଲା। ପାଖାପାଖି ୨ ଘଣ୍ଟା ଆହୁରି। ସେତେବେଳକୁ ୪ ଟା ହେବ। ଭୋକରେ ଇଚ୍ଛା ନଥାଏ ଆଉ କ୍ୟାମେରା ବୋଝ ଉଠେଇବାକୁ। ମୋର ଜୀବନର ପ୍ରଥମ ରାଜନୈତିକ ସମାରୋହ ଥିଲା ଆଉ ସିଏ ପୁଣି ମୁଖ୍ୟ କ୍ୟାମେରା ମ୍ୟାନ୍ ଭାବରେ। କାମର ଉତ୍କଣ୍ଠା ଥିଲା ହେଲେ ଭୋକ,ଆଉ ସମ୍ଭାଳି ନପାରି ମୋର ଆସିଷ୍ଟାଣ୍ଟକୁ କ୍ୟାମେରା ଧରେଇ ପାଖରେ ଲାଗିଥିବା ବଡ଼ ଚାଳିଆ ହୋଟେଲ୍ କୁ ପଶିଗଲି।
ଯାଇ ଦେଖେ ତ ଡାଲମା ଭାତର ସମ୍ଭାର ଲାଗିଛି। ଗ୍ରାହକ ଏକ ଦମ୍ ଫୁଲ୍।
ମୁଁ ବି ପେଟ ଭରି ଖାଇଦେଲି। କେତେ ପଇସା ପଚାରେ ଯେବେ ଉତ୍ତର କଣ୍ ମିଳିଲା – ୫ ଟଙ୍କା। ମୁଁ ଆଶ୍ଚର୍ଯ୍ୟ ମାତ୍ର ୫ ଟଙ୍କା? ଜବାବ୍ ମିଳିଲା ସବୁ ମନ୍ତ୍ରୀଙ୍କ କୃପାରୁ। ଖୁସି ହେଲି ଯା ହେଉ ଖରାରେ ଛିଡ଼ା କରେଇ ୫ ଟଙ୍କାରେ ପେଟ ଭରି ଓଳିଏ ଖାଦ୍ୟ ତ ଦେଇପାରୁଛନ୍ତି। ଏତିକି ଭାବି ସାରିଛି କି ନାହିଁ,ଜୋର୍ ଏକ ବ୍ୟକ୍ତିଙ୍କ କ୍ଷୋଭ ଭରା କଣ୍ଠ ଶୁଭିଲା। ହୋଟେଲ୍ ମାଲିକଙ୍କ ସହ ଯୁକ୍ତି କରୁଥିବା ଏକ ଗ୍ରାହକ,ସେଇ ଭାଷଣ ଶୁଣିବାକୁ ଆସିଥିବା ଜନତା ମଧ୍ୟରୁ ଜଣେ।ମୂଲିଆ ଶ୍ରେଣୀର ଲୋକଟି ପରି ଲାଗୁଥିଲା।ସାଙ୍ଗରେ ଦୁଇଟି ଝିଅ ଏବଂ ଛୋଟ ପୁଅଟିଏ କୋଳେଇ ଥିବା ସ୍ତ୍ରୀ ଲୋକଟି।ଖରାରେ ବସି ମୁହଁ ନାଲି ପଡ଼ିଯାଇଥିଲା ଛୁଆମାନଙ୍କର।ବଣ୍ଟା ହୋଇଥିବା ପ୍ୟାକେଟ୍ ପାଣି କୁ ଲଲିପପ୍ ଭଳି ଚୁଚୁମି ଯାଉଥିଲା ଛୋଟ ପୁଅଟି। ଝିଅ ଦୁହେଁ ବାପା ହାତକୁ ଟାଣି ପକାଉଥିଲେ। ପାଖକୁ ଯାଇ ଶୁଣିଲି ଆଉ ଜାଣିବାକୁ ପାଇଲି ପୁଣି କିଛି ଏମିତି ଯାହା ଭାରି କଷ୍ଟ ଦେଲା।
ଲୋକଟି ପ୍ରକୃତରେ ୫ ଥାଳି ଭାତ ଡାଲମା ବାବଦରେ ୨୫ଟଙ୍କା ଦେବା କଥା ହେଲେ ୧୦ ଟଙ୍କା ଦେଇଥିବାରୁ ଝଗଡ଼ା। ହେଲେ ଲୋକଟି କହୁଛି ଆମକୁ ତ ମାଗଣା ଖାଦ୍ୟ ମିଳିବ କହି ଆଣିଥିଲେ। ଏଠି ଆସି ଖାଇସାରିବା ପରେ ପଇସା କାହିଁ ପାଇଁ ମାଗୁଛ କହି ଯୁକ୍ତି କରୁଛି ଏବଂ ବ୍ୟସ୍ତ ମଧ୍ୟ ହେଉଛି।
ମୁଁ ପକେଟ୍ରେ ହାତ ପୁରେଇ ଯାଚିବାକୁ ଗଲା ବେଳକୁ ଆଉ ୫/୬ ଟି ପରିବାର ତାଙ୍କ ସାଙ୍ଗରେ ମିଶି କହିବା ଆରମ୍ଭ କଲେ। ମୂଲ ଲାଗିବାକୁ ଯାଉଥିଲେ ଆଉ ଗାଡ଼ିରେ,ଟ୍ରକରେ ଭର୍ତ୍ତି କରି ୭୦ ଟଙ୍କା ଏବଂ ମାଗଣା ଡାଲମା ଭାତ କହି ନେଇକି ଆସିଲେ ବଡ଼ ବାବୁ ମାନେ। ଆଉ ଏବେ ଏଠିକି ଆଣି କାହିଁକି ଏମିତି ଅନ୍ୟାୟ କରୁଛ, ସ୍ତ୍ରୀ ଲୋକଟି କହି ଉଠିଲା। କୋଉଠୁ ଆସିବା ପଇସା। ଦୁଇ ତିନି ଜଣ ପାର୍ଟି କାର୍ଯ୍ୟକର୍ତ୍ତା ଆସି ପାଟି କଲାରୁ ତୁନି ପଡ଼ିଗଲା ସେ। ମତେ କିଛି ଗଡବଡ଼ର ଆଭାସ ହେଉଥିଲା।
ଆଉ ଟିକେ ନିରିଖେଇ ପଚରା ଉଚରା କଲାପରେ ଜଣା ପଡିଲା।
ସାହୁ ବାବୁ ଏବଂ ଆଉ ଜଣେ କିଏ କଳା ଚଷମା ଆଉ ଧଳା ଜୋତା ପିନ୍ଧା ଭଦ୍ର ବ୍ୟକ୍ତି ହୋଟେଲ୍ ମାଲିକଙ୍କୁ ପାର୍ଟି ଫଣ୍ଡ୍ ବାବଦରେ ପ୍ରତି ଲୋକ ଠାରୁ ଡାଲମା ଭାତ ବଦଳରେ ୫ ଟଙ୍କା ରଖିବାକୁ କହିଛନ୍ତି। ୨୫ହଜାର ଲୋକରୁ ଯଦି ୨୦ହଜାର ପୁରା ଦିନ ଭିତରେ ୫ଟଙ୍କା ଦେଇଥାନ୍ତି ତେବେ କାହିଁରେ କଣ୍। ହସ ଲାଗିଲା ପୁଣି।
ମଞ୍ଚ ପାଖକୁ ଯାଇ ଶୁଣେ ତ ଆଉ ଜଣେ କେଉଁ ମନ୍ତ୍ରୀ କହୁଛନ୍ତି ଆମେ ଆପଣ ମାନଙ୍କ ସବୁ ସମସ୍ୟାର ସମାଧାନ କରିବା ପାଇଁଁ ପ୍ରତିଜ୍ଞାବଦ୍ଧ। ଆପଣଙ୍କ ଦୁଃଖ ଆମେ ତୃଣମୂଳସ୍ତରରୁ ସୁଧାରି ବାକୁ ଚାହୁଁ। ଆମେ ଅଙ୍ଗେ ନିଭେଇଛୁ ଆପଣ ମାନଙ୍କ ସବୁ ଅବସ୍ଥାକୁ। ଏତିକି ଭିତରେ ପୁଣି ତାଳି ଟିଏ ପଡିଲା।
ସତ କହିବି ଏଥର ମୁଁ ବି ତାଳି ଟିଏ ନ ମାରି ରହି ପରିଲିନାହିଁ।
କାର୍ଯ୍ୟକ୍ରମ ସରିଲା ଏବଂ ସବୁ ପୁଣି ଗାଈଗୋରୁ ଭଳି ଭର୍ତ୍ତି ହୋଇ ନିଜ ନିଜ ଜାଗାକୁ ଫେରିଗଲେ। ମୁଁ ବି ସବୁ ରଖା ରଖି କରି ବାହାରୁ ଥିଲି।
ଏତିକି ବେଳେ ଆମ ଗଣମାଧ୍ୟମ ପ୍ରତିନିଧି କହିଲେ ଆରେ କ୍ୟାମେରା ବାବୁ ଆଉ ଗୋଟେ ସଟ୍ ନେଇଯିବା,ଜଣେ କେହି ଖାସ୍ ଥିଲେ। ମନ୍ତ୍ରୀ ନୁହେଁ କିନ୍ତୁ କେହି ଜଣେ ବଡ଼ ଲୋକ। ମୁଁ କ୍ୟାମେରା ଧରି ପଛରେ ଧାଇଁଲି ଏବଂ ରୋଲିଂ ନ କହୁଣୁ ପ୍ରତିନିଧି ଆରମ୍ଭ କରିଦେଲେ ,”ଆଜିର ଏହି ସଫଳ ସମାରୋହ ଆୟୋଜନର ଶ୍ରେୟ କେବଳ ଆଉ କେବଳ ଦୁଇ ବନ୍ଧୁ, ଦୁଇ ପୁରୁଣା ପାର୍ଟି କାର୍ଯ୍ୟକର୍ତ୍ତା ଅନିମେଶ୍ ସାହୁ ଏବଂ ନୀଳକଂଠ ରଥ ମହୋଦୟ ଙ୍କୁ ଦିଆଯିବା ଉଚିତ୍। ଦୁହେଁ ଏଇ ପାର୍ଟି ତଥା ଏହି ଅଞ୍ଚଳର ଜନତାଙ୍କ ପାଇଁ ସ୍ଵୟଂ ନେତା ପାଲଟି ତାଙ୍କର କେତେ ସମସ୍ୟା କୁ ସମାଧାନ କରିଛନ୍ତି। ଆସନ୍ତା ଏପ୍ରିଲ ରେ ବିଧାନସଭା ନିର୍ବାଚନରେ ବିଧାୟକ ରୂପେ ଦଳୀୟ ପ୍ରାର୍ଥୀ ଭାବେ ନୀଳକଣ୍ଠ ବାବୁ ଆଗ ଧାଡ଼ିରେ ଥିବାର ପ୍ରାୟ ଅନୁମାନ ଲଗା ଯାଉଛି। ଏତିକି କହି ନୀଳକଣ୍ଠ ବାବୁଙ୍କ ଆଡ଼କୁ ମୁଁ କ୍ୟାମେରା ନେଉ ନେଉ ଦେଖିଲି ସୁନ୍ଦର୍ ଧଳା ଜୋତା ପାଦରେ। ବାକି ଆଉ ଶୁଣି ନାହିଁ କିଛି କଥା ତାଙ୍କର। ବାକି ସବୁ କଥା ମତେ ଖାଲି ମିଛ ବାହାସ୍ପଟ ପରି ଲାଗିଲା। ଆଉ ମୁଁ ପୁଣି ଥରେ ଆଶ୍ଚର୍ଯ୍ୟ ହୋଇ ହସିଦେଲି। ଆଉ ଖାଲି ହୋଇ ଯାଇଥିବା ସେଇ ମଞ୍ଚ ଏବଂ ସେଇ ପଡିଆକୁ ଦେଖିଲି। ଫୁଲ ମାଳରୁ ଝଡି ପଡ଼ିଥିବା ଫୁଲ ଏବଂ ପାର୍ଟି ପତାକାର ଦେହାବଶେଷ ରେ ଫରକ୍, ଅଧା ପିଆ ସେ ମିନେରାଲ ପାଣି ବୋତଲ ଏବଂ ସେ ପକେଟ୍ ପାଣିରେ ଫରକ୍। ଆହୁରି ଅନେକ କେତେ ଛୋଟବଡ ଫରକ୍ ନଜର ଆସିଲା ମତେ। ଜନତା ଆଉ ଜନତାର ସେବକ ଭିତରେ।
କ୍ୟାମେରା ହାତରୁ ଖସେଇ ବନ୍ଦ କରି ଫେରିଲି।
ଟିକେ କାହିଁ ସମ୍ପୂର୍ଣ୍ଣ ଆଶର୍ଯ୍ୟ ହୋଇ।

Leave a comment